Bharati Nayak

26th May 1962, Cuttack
Send Message

Gitanjalira Kabita-11

ଗୀତଞ୍ଜଳିର କବିତା -୧୧

ରୁଦ୍ଧ ମନ୍ଦିର କୋଠରୀ ଭିତରେ
ଖୋଜୁ ଥାଅ ହୋଇ ମୁଦ୍ରିତ ଚକ୍ଷୁରେ
ଯେଉଁ ଈଶ୍ୱରଙ୍କୁ
କରି ମନ୍ତ୍ର ସଂଗୀତ ଉଚ୍ଚାରଣ ଓ ଜପମାଳା ଧ୍ୟାନ
ଚକ୍ଷୁ ଖୋଲି ଦେଖ
ସେ ଈଶ୍ୱର ତୁମ ସମ୍ମୁଖରେ ନାହାନ୍ତି |

ସେ ଅଛନ୍ତି ସେଇ କ୍ଷେତ୍ରରେ
ଯେଉଁ ଠାରେ ଚାଷୀଟିଏ ଲାଗିଥାଏ
ତାର ଜମି କର୍ଷଣରେ
ଅବା ଗରିବ ଶ୍ରମିକ ଭାଙ୍ଗୁଥାଏ କଠୋର ଶିଳାଖଣ୍ଡ
ତିଆରିବାକୁ ରାସ୍ତାଟିଏ |

ସେ ଥାନ୍ତି ସେମାନଙ୍କ ଗହଣରେ
ଖରା ଏବଂ ବର୍ଷାରେ
ଧୂଳି ଧୂସରିତ ହୋଇଥାଏ ତାଙ୍କ ବସ୍ତ୍ର |
ତେଣୁ, ପୂଜା ମାଳା ଥୋଇ ଦେଇ
ଚାଲି ଆସ ଏଇ ଧୂଳିଭରା ମାଟିକୁ |

ଖୋଜୁଛ କି ମୋକ୍ଷ?
କେଉଁଠି ଥାଏ ସେ ମୋକ୍ଷ?
ଦେଖ, ଏଇ ଈଶ୍ୱର କିପରି
ଆନଂଦରେ ବରି ନେଇଛନ୍ତି
ଜଞ୍ଜାଳର ମୋହ!
ସେ ତ ଥାନ୍ତି ସଦା ଆମ ସହ |

ଧ୍ୟାନ -ତପ ଭିତରୁ ବାହାରି ଆସ
ଛାଡି ଦିଅ ପୁଷ୍ପ ଅବା ଧୂପ
କି ତଫାତ ଥାଏ
ଯଦି ତୁମେ ପିନ୍ଧିଥାଅ
ଛିନ୍ନ କି ମଳିନ ବସ୍ତ୍ର?
କଠିନ ଶ୍ରମ -କ୍ଲାନ୍ତ କପାଳରେ ତୁମର
ଯେବେ ଘର୍ମ ତରଳି ଆସୁଥିବ
ତୁମେ ତାଙ୍କ ନିକଟକୁ ଯାଅ
ତେବେ ତାଙ୍କୁ ଭେଟିବ ନିଶ୍ଚୟ |

ଅନୁବାଦ -ଭାରତୀ ନାୟକ, ଭୁବନେଶ୍ୱର |

Bharati Nayak
(This is my Odia translation of poem 11 of Nobel Award winning book Gitanjali of Nobel Poet Laureate Rabindranath Tagore.)
273 Total read